ଆସ ଅଲାର ଖାଅ ଖିରି
ଅଲାରନାଥଙ୍କ ଖିରି ଭୋଗ ସମଗ୍ର ଦେଶରେ ପ୍ରସିଦ୍ଧ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସଦୃଶ ଏହା ଅଲାରନାଥଙ୍କ ଦୈନନ୍ଦିନ ଭୋଗରେ ନିୟମିତ ସମର୍ପଣ କରା ଯାଇଥାଏ । ଏହା ସମ୍ପର୍କରେ ମଧ୍ୟ ଏକ ପ୍ରସିଦ୍ଧ ଲୋକକଥା ରହିଛି । ସ୍ବର୍ଗତ ହଟକିଶୋର ପ୍ରତିହାରୀଙ୍କ ଦ୍ଵାରା ସଙ୍କଳିତ 'ଅଲାରନାଥ ମହିମା' ଗ୍ରନ୍ଥରେ ବର୍ଣ୍ଣିତ ଯେ ଏଠାରେ କମା ବ୍ରାହ୍ମଣ ଅଲାରନାଥଙ୍କ ପୂଜାରେ ନିଯୁକ୍ତ ଥିଲେ । ଏବର ଶ୍ରୀଅଲାରନାଥଙ୍କ ମନ୍ଦିର ଉତ୍ତର ଦିଗରେ ପଥର ବାରି ଅଞ୍ଚଳରେ କମା ବ୍ରାହ୍ମଣଙ୍କ ଗାଆଁ ଥିଲା।
ଏମାନଙ୍କ ମଧ୍ୟରୁ ଶ୍ରୀକେତନ ନାମରେ ଜଣେ ବ୍ରାହ୍ମଣ ଥିଲେ । ଦୁର୍ଭିକ୍ଷ ଜନିତ ଅଭାବ ହେତୁ ଭିକ୍ଷାଟନ ହିଁ ସେବା ନିର୍ବାହର ଏକମାତ୍ର ଅବଲମ୍ବନ ଥିଲା । ଦୈବାତ ତାଙ୍କର ସେବା ପାଳି ରହିଥିଲା। ଠାକୁରଙ୍କ ପାଳି କିପରି ହେବ ତେଣୁ ତାଙ୍କର ଆଠ ବର୍ଷର ନାବାଳକ ପୁତ୍ର ମଧୁସୂଦନ ଉପରେ ଠାକୁରଙ୍କ ପୂଜା ଭାର ନ୍ୟସ୍ତ କରି ଥରେ ସେ ଭିକ୍ଷା ଉଦ୍ଦେଶ୍ୟରେ ଦୁଇ ତିନ ଦିନ ପାଇଁ ବାହାରକୁ ଯାଆନ୍ତି । ବାଳକ ସେବକ ମଧୁସୂଦନଙ୍କର ମା' ଖିରି ଭୋଗ (ପାୟସାନ୍ନ) ନିମନ୍ତେ ସମସ୍ତ ଯୋଗାଡ ଦେଇ ଶ୍ରୀଜୀଉଙ୍କୁ ଭୋଗଦେବା ଉଦ୍ଦେଶ୍ୟରେ ବାଳକ ପୁତ୍ର ମଧୁସୂଦନ ହସ୍ତରେ ମନ୍ଦିର ମଧ୍ୟକୁ ପଠାଇ ଦେଲେ ।
ବାଳକ ମଧୁସୂଦନ ଠାକୁରଙ୍କ ସମ୍ମୁଖରେ ଭୋଗକୁ ରଖି ଦରଜା ବନ୍ଦ କରି ସାଙ୍ଗ ପିଲାଙ୍କ ଖେଳ ଗମାତରେ ଚାଲିଗଲା । କିଛି ସମୟ ପରେ ତାଙ୍କ ମା' ବାହାରେ ପୁତ୍ରକୁ ଖେଳୁଥିବାର ଦେଖି ବିରକ୍ତ ହୁଅନ୍ତି । ପୁତ୍ରକୁ ପୁନର୍ବାର ମନ୍ଦିର ମଧ୍ୟକୁ ପଠାଇ ଦେଲେ ପ୍ରସାଦ କାଢ଼ି ଆଣିବାକୁ । ନିଷ୍ପାପ ଓ ଅକପଟ ବାଳକ ମନ୍ଦିର ଦରଜା ଖୋଲି ଦେଖେ ଠାକୁର ଭୋଗ ଖାଇ ନାହାନ୍ତି । ସାଥୀ ପିଲାମାନଙ୍କ ସହିତ ଖେଳିବାରେ ଆଗ୍ରହ ଥିଲେ ସୁଦ୍ଧା ଠାକୁର ଭୋଗ ଗ୍ରହଣ ନ କରିବାରୁ ସେ କାନ୍ଦିବାକୁ ଲାଗିଲା । ଅଝଟ ହୋଇ ଜିଦ୍ ଧରି ବାଳକ ମଧୁସୂଦନ କାନ୍ଦିବାକୁ ଆଗିଲେ। ଏହି କ୍ରନ୍ଦନର ତାଳେ ତାଳେ ରହିଯାଏ ବାଳକର ଶ୍ରୀବିଗ୍ରହଙ୍କ ପ୍ରତି ନିବେଦନ ମନ୍ତ୍ର , ଯଥା :
"ଆସ ଅଲାର ଖାଅ ଖୁରି ,
ବାପା ଯାଇଛନ୍ତି ବିଦେଶ କରି ,
ବାପା ଯାଇଛନ୍ତି ବାହାର ଗାଁ ,
ମୁଁ ନ ଜାଣେ ଦିଅଁଙ୍କ ନାଆଁ ।"
ଆସ ଅଲାର ଖାଅ ଖିରି ।ଏହି କାନ୍ଦିକାନ୍ଦି ଠାକୁରଙ୍କୁ ଡାକିବାକୁ ଲାଗିଲେ।
ଅଲାରନାଥଙ୍କ 'ମହିମା ପ୍ରକାଶ' ରେ ଉଲ୍ଲିଖତ ଅଛି :
‘ ‘ ଛାମୁରେ ଭୋଗକୁ ଥୋଇଣ ଡାକେ ଅଲାରନାଥ ,
ଭୁଞ୍ଜନ୍ତୁ ବେଗେ ବାପା ନାହାନ୍ତି ଯାଇଛନ୍ତି ଦୂରସ୍ଥ । ’ ’
ବାଳକର କୋହ ନିବେଦନ ଦେଖି ଧୈର୍ଯ୍ୟ ଧରିପାରିଲେ ନାହିଁ ଠାକୁର । ନିଷ୍ପାପ ବାଳକର ବ୍ୟାକୁଳ କ୍ରନ୍ଦନରେ ତାଙ୍କର ହୃଦୟ ବିଗଳିତ ହୋଇଗଲା । ସେ ରତ୍ନ ସିଂହାସନରୁ ଦିବ୍ଯ ରୂପରେ ବାହାରି ଆସି ସେ ବାଳକର ପ୍ରଦତ୍ତ ଖିରିକୁ ଭୋଜନ କଲେ । ଠାକୁର ଖିରି ଭୋଗ ସ୍ବୟଂ ସେବନ କରିଥିବାରୁ ଖୁସି ମନରେ ଶୂନ୍ୟପାତ୍ରକୁ ଧରି ଗୃହକୁ ପ୍ରତ୍ୟାବର୍ତ୍ତନ କଲା ସେହି ସରଳ ବାଳକ ମଧୁସୂଦନ । ହେଲେ ଶୂନ୍ୟପାତ୍ରକୁ ଦେଖି ଆଚମ୍ବିତ ହେଲେ ମାଆ ।
"ଠାକୁରଙ୍କ ପ୍ରସାଦ କାହିଁ ?"
ବୋଲି ପଚାରିବାରୁ ବାଳକ ଉତ୍ତର ଦେଲା ଯେ -
"ଠାକୁର ସବୁ ଖାଇ ଦେଲେ ।
ତାଙ୍କ ମନରେ ଘୋର ସନ୍ଦେହ ଜାତ ହେଲା ଯେ ପୁତ୍ର ଠାକୁରଙ୍କୁ ଖିରି ଭୋଗ ନ ଦେଇ ଅନ୍ୟ କେଉଁଠାରେ ଦେଇ ଚାଲି ଆସିଛି । କାରଣ ଯାହାର ବାପା ଷୋଡ଼ଷ ଉପଚାର ମନ୍ତ୍ରରେ ପୂଜା କରି ସୁଦ୍ଧା ଠାକୁର ଦିନେ ମାତ୍ର ଭୋଗ ଗ୍ରହଣ କରି ନାହାନ୍ତି, ସାମାନ୍ୟ ବାଳକର ବିନା ମନ୍ତ୍ରରେ ଠାକୁର ଭୋଗ ଗ୍ରହଣ କଲେ କିପରି ?
ନିଜର ଅବିଶ୍ୱାସକୁ ଦୂର କରିବା ପାଇଁ ପର ଦିନ ମନ୍ଦିର ଭିତରକୁ ଖୁବ୍ ସନ୍ତର୍ପଣରେ ପ୍ରବେଶ କଲେ ବ୍ରାହ୍ମଣୀ । ସେ ଗର୍ଭମନ୍ଦିରସ୍ଥ ଦରଜାର ଛିଦ୍ରରେ ସ୍ବଚକ୍ଷୁରେ ଦେଖିବାକୁ ପାଇଲେ ଯେ ବାଳକର ପ୍ରଦତ୍ତ ଖିରି ଭୋଗକୁ ଠାକୁର ଆନନ୍ଦରେ ଭୋଜନ କରୁଛନ୍ତି । ଏପରି କ୍ରମଶଃ କେତେ ଦିନ ବାଳକର ଭକ୍ତିରେ ଠାକୁରଙ୍କ ଖିରି ଖିଆ ଚାଲିଲା । କିଛିଦିନ ପରେ ବ୍ରାହ୍ମଣ ଶ୍ରୀକେତନ ବିଦେଶରୁ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ପ୍ରତ୍ୟକ୍ଷ ଭାବେ ଦେଖିଥିବା ଠାକୁରଙ୍କ ଖିରି ଖାଇବାର ବୃତ୍ତାନ୍ତ ବ୍ରାହ୍ମଣୀ ସ୍ଵାମୀଙ୍କ ନିକଟରେ ପ୍ରକାଶ କଲେ । ତଥାପି ବ୍ରାହ୍ମଣଙ୍କ ମନରେ ବିଶ୍ବାସ ଆସିଲା ନାହିଁ । ତାଙ୍କର ମନରେ ବିଚାର ଆସିଲା ମୁଁ ଷୋଡଶପଚାର ପୂଜା ନୈବେଦ୍ଯ ପରଦିନ ସେ ଠାକୁର କିପରି ଖିରି ଖାଉଛନ୍ତି ତାହାଦେଖିବା ପାଇଁ ଉତ୍କଣ୍ଠାର ସହିତ ମନ୍ଦିର ମଧ୍ୟରେ ଲୁଚି ରହିଲେ । ପୂର୍ବବତ୍ ବାଳକ ଠାକୁରଙ୍କ ସମ୍ମୁଖରେ ଗରମ ଖିରିକୁ ରଖି ଖାଇବା ପାଇଁ ବ୍ୟାକୁଳ ନିବେଦନ କରି ଦରଜା ବନ୍ଦ କରି ବାହାରକୁ ଚାଲି ଆସିଲା । ଏଠାରେ ଠାକୁର ବିଚାର କରନ୍ତି, ବାଳକର ପ୍ରଦତ୍ତ ଏହି ଖିରିକୁ ଯଦି ମୁଁ ଗ୍ରହଣ ନ କରେ ତେବେ ବ୍ରାହ୍ମଣ ନିକଟରେ ତାର ପୁତ୍ର ଓ ସ୍ତ୍ରୀ ସମସ୍ତେ ମିଥ୍ୟାବାଦୀ ହୋଇଯିବେ ।
ଏଣୁ ଶ୍ରୀ ଅଲାରନାଥ ସ୍ବୟଂ ସିଂହାସନରୁ ବାହାରି ଆସି ଗରମ ଖିରିକୁ ଭୋଜନ କଲେ । ଏହି ସମୟରେ ଲୁଚି ରହିଥିବା ବ୍ରାହ୍ମଣ ଗର୍ଭଗୃହ ଦରଜାର ଛିଦ୍ରରେ ତାହା ଦର୍ଶନ କରି ଭାବବିହ୍ବଳ ହୋଇ ପଡ଼ିଲେ । କୁହାଯାଏ ଠାକୁରଙ୍କ ହାତକୁ ଧରିବାକୁ ଉଦ୍ଯମ କଲେ। କିନ୍ତୁ ଲୀଳାମୟ ଠାକୁର ସିଂହାସନ ସ୍ଥିତ ମଣିମୟ ବିଗ୍ରହରେ ମିଶିଗଲେ। ଠାକୁର ତରତର ହୋଇ ଯିବାବେଳେ ତତଲା ଖିରିର ତାଙ୍କର ହସ୍ତ, ବକ୍ଷ ସ୍ଥଳ ,ମୁଖରେ ପଡିବାରୁ ଫୋଟକା ହେଲା। ତାହାର ଦାଗ ଏବେବି ଠାକୁରଙ୍କ ଦେହରେ ରହିଅଛି। ପରେ ଶ୍ରୀକେତନ ଆନନ୍ଦରେ ବିହ୍ଵଳ ହୋଇ ଦଣ୍ଡବତ୍ ପ୍ରଣାମପୂର୍ବକ ବହୁ ସ୍ତୁତି କଲେ । କୁହାଯାଏ ବ୍ରାହ୍ମଣ ଶ୍ରୀକେତନ ଠାକୁରଙ୍କ ହାତକୁ ଧରିଥିବା ହେତୁ ବୈକୁଣ୍ଠ ଲୋକ ପ୍ରାପ୍ତ ହେଲେ। କିନ୍ତୁ ଲୋକକଥା ଅନୁଯାଇ ଏହି କମା ବ୍ରାହ୍ମଣ ଠାକୁରଙ୍କ ରୋଷ ଅଭିଶାପରେ ଲୋପ ହୋଇଗଲା।
ବାଳକ ମଧୁସୂଦନର ଭକ୍ତି ଓ ଭଗବାନଙ୍କ ଭକ୍ତବତ୍ସଳତାର ଏପରି ଅଭୂତପୂର୍ବ ନିଦର୍ଶନ ଏବେବି ଉଜ୍ଜୀବିତ । ଠାକୁର ଭାବ ଭକ୍ତି ଶ୍ରଦ୍ଧାକୁ ଭଲ ପାଆନ୍ତି।
ପରବର୍ତ୍ତୀ ସମୟରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରୁ ଏହି ପଥରେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ପ୍ରଭୁଙ୍କ ଦର୍ଶନ କରିଥିଲେ । ଦିଅଁଙ୍କ ସେବା ପାଇଁ ସେ ଶ୍ରୀକ୍ଷେତ୍ରରୁ ବଶିଷ୍ଠ ଗୋତ୍ରୀୟ ଦୁଇ ବ୍ରାହ୍ମଣ ପରିବାର ଏବଂ ଭରଦ୍ୱାଜ ଗୋତ୍ରୀୟ ଏକ ବ୍ରାହ୍ମଣ ପରିବାରକୁ ବାସ ଖଞ୍ଜା ଦେଲେ । ପ୍ରଭୁ ଅଲାରନାଥଙ୍କ ବିଧିପୂର୍ବକ ପୂଜା ପାଇଁ ନିଯୁକ୍ତି ଦେବା ସଙ୍ଗେ ସେମାନଙ୍କ ଭରଣ ପୋଷଣ ନିମନ୍ତେ ସବୁ ସମ୍ପତ୍ତିର ବ୍ୟବସ୍ଥା କରିଥିଲେ ।
ବର୍ତ୍ତମାନ ପୂଜାପଣ୍ଡାଙ୍କ ସମେତ ସୁଆର, ସିଂହାରୀ, ପୁଷ୍ପାଳକ, ମେକାପ, ପତ୍ରୀ ଗରାବଡୁ ଓ ପ୍ରତିହାରୀ ନାମରେ ୬ ଗୋଟି ନିଯୋଗର ସେବା ରହିଛି । ଦୈନିକ ନୀତିକାନ୍ତିର ବ୍ୟୟ ଅଟକଳ ନିର୍ବାହ ସକାଶେ ସେଠି ମଧ୍ୟ ଜଣେ ପାଳିଆ ବିଶୋଇ ସେବକ ରହନ୍ତି । ଏତଦ୍ ବ୍ୟତୀତ ମନ୍ଦିରର ମୁଖ୍ୟ ପର୍ବ ପର୍ବାଣି ପାଇଁ ମନ୍ଦିର ପୁରୋହିତ, ପାଞ୍ଜିଆ , ବିମାନ ବାହୀ ବିମାନବଡୁ ଓ ପାଲିଙ୍କିଆ, କାହାଳିଆ ମହାପାତ୍ର, ଆନୁଷଙ୍ଗିକ କୁମ୍ଭକାର, ଧୋବା, ବଢ଼େଇ ଓ ଚାପ ଦଳେଇ ନାମରେ ସେବକ ରହିଛନ୍ତି ।
ରିପୋର୍ଟ :- ପିଙ୍କୁନ ଜେନା
ଜନତା ଜାଗରଣ
#Brahmagiri #Alarnath


Comments
Post a Comment