ଟଙ୍କା ଲୋଭ ରେ ପ୍ରେମିକ ସହିତ ମିଶି ଦାଦା କୁ ପିଟି ପିଟି ମାରିଦେଲା ଝିଆରୀ !
ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଅଞ୍ଚଳର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା । ଗତକାଲି ପୋଲିସ ବ୍ୟବସାୟୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଥିଲା । ଆଜି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମୃତ ବ୍ୟବସାୟୀଙ୍କ ପୁତୁରା, ଝିଆରୀ, ତାଙ୍କ ପୁରୁଷ ବନ୍ଧୁ ସମେତ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଅପହରଣ ସମୟରେ ବ୍ୟବହୃତ ହୋଇଥିବା ମାଉଜର ସମେତ ୧୫ ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ତେବେ ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।ଗିରଫ ଅଭିଯୁକ୍ତମାନେ ହେଲେ ମୃତ ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ପାତ୍ର, ପୁତୁରା ତୁଷାର କୁମାର ପାତ୍ର, ନିବେଦିତାଙ୍କ ବୟଫ୍ରେଣ୍ଡ୍ କାଳିଆ ଓରଫ କାଳୁ ଚରଣ ପ୍ରଧାନ, କାଳୁର ସହଯୋଗୀ ହିଞ୍ଜିଳିକାଟୁ ରାଳବ ଅଞ୍ଚଳର ଜିତୁନ ପଲେଇ, ବୁଗୁଡ଼ା ଥାନା ରାମଣ୍ଡା ଅଞ୍ଚଳର କମଳ ଓରଫ ନାରାୟଣ ପ୍ରଧାନ, ବୁଗୁଡ଼ା ଥାନା ବି.ବ୍ରହ୍ମପୁର ଅଞ୍ଚଳର ଟୁଲୁ ଓରଫ ଆଶିଷ ମହାପାତ୍ର, ହିଞ୍ଜିଳିକାଟୁ ଖରିଡା ଗ୍ରାମର ଶୁଭମ୍ ନାୟକ, ହିଞ୍ଜିଳିକାଟୁ ସାରୁ ଅଞ୍ଚଳର ଶୁଭମ୍ ଗୈଡ, ସୁରତ ଅଞ୍ଚଳର ଗୋଲୁ ଓରଫ୍ ଲମ୍ବୁ ଓରଫ ସୂର୍ଯ୍ୟ ପ୍ରତାପ ସିଂ । ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ବ୍ରହ୍ମପୁର ଏସପି ଦାୟିତ୍ୱରେ ରହିଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର କିଭଳି ଏବଂ କେଉଁ ପରିସ୍ଥିତିରେ ପ୍ଳଟ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା ତାର ପର୍ଦ୍ଦାଫାସ କରିଥିଲେ । ପୋଲିସ ତଦନ୍ତ ସମୟରେ ହିଁ ସ୍ପଷ୍ଟ ହୋଇଯାଇଥିଲା ଏହି ଅପହରଣ ଘଟଣାରେ ତାଙ୍କ ପରିବାରର ସଂପୃକ୍ତି ରହିଛି । ୧୫ ତାରିଖରେ ଅପହରଣ ଘଟଣା ଘଟିଥିବା ବେଳେ ଏନେଇ ଗୋପାଳପୁର ଥାନାରେ ଏତଲା ହୋଇଥିଲା । ମାମଲା (ନଂ-୨୧୩ /୨୬) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମିକ ତଦନ୍ତରୁ ହିଁ ପରିବାର ବର୍ଗଙ୍କ ଉପରେ ପୋଲିସର ସନ୍ଦେହ ବଢିଥିଲା ।ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ କହିବା କଥା, "ମୃତ ପାତ୍ରଙ୍କ ଝିଆରୀ ନିବେଦିତା ପାତ୍ର ହିଁ ଏହି ଅପହରଣ ଘଟଣାର ମାଷ୍ଟରମାଇଣ୍ଡ୍ ରହିଥିଲା । ନିବେଦିତା ନିଜର ବୟଫ୍ରେଣ୍ଡ୍ ତଥା ଜିଲ୍ଲାର ଗାଙ୍ଗପୁର ଥାନା କାଳିଆଗୁଡା ଗ୍ରାମର ୨୮ ବର୍ଷୀୟ କାଳୁ ଚରଣ ପ୍ରଧାନଙ୍କୁ ଏହି ଅପହରଣ କରିବା ପାଇଁ ଯୋଜନା କରିଥିଲେ । ମୃତ ସୁଧୀରଙ୍କ ଭାଇ ମନୋଜ କୁମାର ପାତ୍ରଙ୍କ ଗତ କିଛି ମାସ ତଳେ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ମୃତକଙ୍କ ପରିବାର ବର୍ଗ ସୁଧୀରଙ୍କ ପରିବାର ହିଁ ଏପରି କରିଥିବା ସନ୍ଦେହ କରୁଥିଲେ ।" ସେପଟେ ପାରିବାରିକ ଓ ସମ୍ପତ୍ତି ତଥା ଆର୍ଥିକ ବିବାଦକୁ ନେଇ ଏଭଳି ଅପହରଣ ହୋଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ଶେଷରେ ନିଜର ଝିଆରୀ ନିବେଦିତା ପାତ୍ର ହିଁ ନିଜର ବୟଫେଣ୍ଡଙ୍କୁ ନିଜ ଦାଦାଙ୍କ ପାଖରେ ଅଧିକା ଟଙ୍କା ରହିଥିବା କହିଥିବା ବେଳେ ଏପରି କାଣ୍ଡ ଘଟାଇବାକୁ ଯୋଜନା କରିଥିଲା । ନିବେଦିତାଙ୍କ ଭାଇ ତୁଷାର ପାତ୍ର ଏଥିରେ ସହମତି ଜଣାଇ ବୟଫ୍ରେଣ୍ଡ୍ ଘରକୁ ଯିବା ଆସିବା କରିବା କରିଥିଲେ । ଯାହାକି ଯୋଜନା ମୁତାବକ ବୟଫ୍ରେଣ୍ଡ କାଳୁ ସୁରତର କିଛି ଅପରାଧ ଜିତୁନୁ ପ୍ରଧାନ, ସୂର୍ଯ୍ୟ ପ୍ରଧାନ ସିଂ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କୁ ଏକତ୍ରିତ କରାଇ କିଏ ଫୋନ୍ କରି କିଏ ଟଙ୍କା ମାଗିବ, କିଭଳି ଅପହରଣ ହେବ ଏହି ସମସ୍ତ ଯୋଜନା କରାଯାଇଥିଲା ।
ଅପହରଣ ଘଟଣା ସନ୍ଧ୍ୟା ୬.୪୦ ରୁ ୬.୪୬ ମଧ୍ୟରେ ହୋଇଥିବା ବେଳେ କାଳୁ ପ୍ରଧାନ ଅଭିଯୁକ୍ତ ହିଞ୍ଜିଳି ଅଞ୍ଚଳର ଜିତୁନୁ ପଲେଇଙ୍କୁ ଏହି ଅପରାଧରେ ସାମିଲ କରାଇଥିଲେ । ଅପହରଣ ଘଟଣାରେ ପ୍ରଥମେ ବୋଲେରୋ ଗାଡ଼ି ବ୍ୟବହାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ନୂତନ ଗାଡି ହୁଣ୍ଡଇ ଭେନ୍ୟୁ ବ୍ୟବହାର କରିଥିଲେ । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର ସହଯୋଗ କରିଥିଲେ । ଯାହାକି ଏହି ଦୁହେଁ ମଦ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିଥିଲେ । ଅଭିଯୁକ୍ତ ମାନେ ଜଙ୍ଗଲ ମଧ୍ୟରେ ଏବଂ ପରବର୍ତ୍ତୀ ସମୟରେ ଏକ ମନ୍ଦିର ନିକଟରେ ପ୍ଳଟ ବ୍ୟବସାୟୀଙ୍କୁ ବାରମ୍ବାର ଅତ୍ୟଧିକ ମାଡ ମାରିବା ଯୋଗୁଁ ଘଟଣା ଦିନ ବିଳମ୍ବିତ ରାତ୍ର ଅର୍ଥାତ୍ ୧୬ ତାରିଖ ଭୋର ସକାଳ ସମୟରେ ହିଁ ପ୍ଳଟ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା ବୋଲି କୁହାଯାଇଛି । ଯାହାକୁ ନେଇ ଅଭିଯୁକ୍ତ ମାନେ ସୋରଡ଼ା ଠାରେ ମୃତକଙ୍କ ଶବକୁ ଫୋପାଡ଼ି ଚାଲିଯାଇଥିଲେ । ସେଠାରୁ ଅଭିଯୁକ୍ତ ମାନେ ବାଲିଗୁଡା ଯାଇ କିଛି ଘଣ୍ଟା ରହିବା ପରେ ଛତିଶଗଡ଼ ଅଭିମୁଖେ ଯାଇଥିଲେ । ଘଟଣାରେ ପୋଲିସ ବୋଲର ଡ୍ରାଇଭର ଶୁଭମ୍ ନାୟକ ଓ ତାର ସହଯୋଗୀ ଶୁଭମ୍ ଗୈଡ ସମେତ ଝିଆରୀ, ପୁତୁରା, ବୟଫ୍ରେଣ୍ଡ୍ ସମେତ ମୋଟ ନଅ ଜଣଙ୍କୁ ଗିରଫ କରିଛି । ଏଥିରେ ସଂପୃକ୍ତ ଅନ୍ୟ ଅପରାଧିଙ୍କୁ ଚିହ୍ନଟ କରି ସାରିଥିବା କୁହାଯାଇଛି ।
ଗିରଫ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ପରେ ଅଧିକ ତଦନ୍ତ ପାଇଁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିବ ବୋଲି କୁହାଯାଉଛି । ଏହି ଅପହରଣରେ ବ୍ୟବହୃତ ବୋଲର ସମେତ ହୁଣ୍ଡାଇ ଭେନ୍ୟୁ କାର, ୭.୬୫ ଏମଏମର ମାଉଜର ସହିତ ଜୀବନ୍ତ ଗୁଳି ଜବତ କରାଯାଇଛି । ସେପଟେ ଅଭିଯୁକ୍ତ କାଳୁ ଚରଣ ପ୍ରଧାନ ଜିପିଏସ୍ ଟ୍ରାକର ବ୍ୟବହାର କରୁଥିଲେ ବୋଲି କହିଛି ପୋଲିସ । ଗଣେଶ ପାଣିଗ୍ରାହୀ ରିପୋର୍ଟ ।






Comments
Post a Comment