ବୁଡି ଯାଇଥିବା ଜାହାଜ MV Shingle ପାଲଟିଛି ସାମୁଦ୍ରିକ ଜୀବ ଙ୍କ ବାସସ୍ଥାନ !

ଡବଲିନ୍‌ : ସିଗାରେଟ୍‌ ଚୋରା ଚାଲାଣ ଅଭିଯୋଗରେ ୨୦୧୪ ମସିହା ରେ ଧରାପଡ଼ିଥିବା ୧୯୭ ଫୁଟ୍‌ ଲମ୍ବର ଏକ ଜାହାଜ ଏବେ ସାମୁଦ୍ରିକ ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳ ପାଲଟିଛି। ଆୟର୍ଲାଣ୍ଡରେ ଧରାପଡ଼ିଥିବା ଏହି ଜାହାଜର ନାମ ଥିଲା ଏମ୍‌ଭି ସିଙ୍ଗଲ୍‌ (MV Shingle)। ଜାହାଜଟି କୁ ଧରାଯିବା ପରେ ୯ ବର୍ଷ ପର୍ଯ୍ୟନ୍ତ ଡବଲିନ୍‌ ବନ୍ଦରରେ ରଖାଯାଇଥିଲା। ପରେ ସରକାରଙ୍କ ଅନୁମତି ମିଳିବା ପରେ ଆୟର୍ଲାଣ୍ଡ ଉପକୂଳଠାରୁ ଦୂରରେ ଥିବା କିଲା ଉପସାଗରରେ ଜାଣିଶୁଣି ଏହାକୁ ବୁଡ଼ାଇ ଦିଆଯାଇଥିଲା।
ଦୁଇ ବର୍ଷ ପରେ ଆସିଥିବା ଭିଡିଓ ଫୁଟେଜ୍‌ରୁ ଜଣାପଡ଼ିଛି ଯେ ଏହି ଜାହାଜଟି ଏକ କୃତ୍ରିମ ପ୍ରବାଳ ପ୍ରାଚୀର (ଆର୍ଟିଫିସିଆଲ୍‌ ରିଫ୍‌)ରେ ପରିଣତ ହୋଇଛି । ସାମୁଦ୍ରିକ ଜୀବଜନ୍ତୁ ମାନେ ଏହାକୁ ନିଜର ବାସସ୍ଥାନ କରିନେଇଛନ୍ତି । ପିପୁଲ୍‌ ଡଟ୍‌ କମ୍‌ର ରିପୋର୍ଟ ଅନୁଯାୟୀ, ଏହି ଜାହାଜbଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୯୮ ଫୁଟ୍‌ ତଳେ ରହିଛି। ଜଳ ଭିତରେ କରାଯାଇଥିବା ଭିଡିଓ ରେକର୍ଡିଂରେ ଜାହାଜ ଉପରେ ଏବଂ ଏହାର ଚାରିପାଖରେ ବାର୍ନାକଲ୍‌, ସ୍ପଞ୍ଜ୍‌, ସାମୁଦ୍ରିକ ସ୍କ୍ୱର୍ଟ ଓ ବିଭିନ୍ନ ପ୍ରଜାତିର ମାଛ ଏକାଠି ହେଉଥିବା ଦେଖିବାକୁ ମିଳିଛି ।
ଆର୍‌ଟିଇ (RTE) ସହ ଆଲୋଚନା କରି ଆଟଲାଣ୍ଟିକ୍‌ ଟେକ୍ନୋଲୋଜିକାଲ୍‌ ୟୁନିଭର୍ସିଟିର ସାମୁଦ୍ରିକ ପରିବେଶ ବିଶେଷଜ୍ଞ ଡକ୍ଟର ଜୋସ୍‌ ମାରିଆ ଫରିନାସ୍‌-ଫ୍ରାଙ୍କୋ କହିଛନ୍ତି, “ସତ କହିବାକୁ ଗଲେ, ଏହା ବେଶ୍‌ ପ୍ରଭାବଶାଳୀ। ଏହି ଜାହାଜଟି ପାଣି ଭିତରେ ଯେତେ ଦିନ ହେଲା ରହିଛି, ସେହି ଅନୁପାତରେ ଏଥିରେ ବହୁତ ଜୀବଜନ୍ତୁ ବଢ଼ିଥିବା ମୁଁ ଦେଖିପାରୁଛି।” ଜାହାଜର କିଛି ଅଂଶରେ ଏବେ ବି ସାମୁଦ୍ରିକ ଜୀବଜନ୍ତୁଙ୍କ ବସତି ସୃଷ୍ଟି ହୋଇନାହିଁ । ତେବେ ଏହାର ଅଧିକାଂଶ ଅଂଶରେ ବିଭିନ୍ନ ଜଳଚର ଜୀବ ନିଜର ଆଶ୍ରୟସ୍ଥଳ ତିଆରି କରିସାରିଛନ୍ତି । ଡକ୍ଟର ଫରିନାସ୍‌-ଫ୍ରାଙ୍କୋଙ୍କ କହିବା ଅନୁଯାୟୀ, ଯେକୌଣସି କୃତ୍ରିମ ସଂରଚନାକୁ ନିଜର ବାସସ୍ଥାନ କରିବା ପାଇଁ ପ୍ରଥମେ ବାର୍ନାକଲ୍‌ ଓ ସମୁଦ୍ରରେ ରହୁଥିବା କେତେକ ପୋକ ଭଳି ଜୀବ ଆସିଥାନ୍ତି। ଏହାପରେ ସାମୁଦ୍ରିକ ସ୍କ୍ୱର୍ଟ ଭଳି ପ୍ରଜାତି ସେଠାରେ ବସତି ସ୍ଥାପନ କରନ୍ତି । ଧୀରେ ଧୀରେ ମାଛମାନେ ମଧ୍ୟ ଏହି ଜୀବଜନ୍ତୁଙ୍କ ଆଡ଼କୁ ଆକର୍ଷିତ ହୋଇ ଆସିବେ। ଏହାଦ୍ୱାରା ସେଠାରେ ଏକ ପ୍ରାକୃତିକ ପାରିସ୍ଥିତିକ ବ୍ୟବସ୍ଥା (ଇକୋସିଷ୍ଟମ୍‌) ଗଢ଼ିଉଠିବ, ଯେଉଁଠାରେ ବିଭିନ୍ନ ଜୀବଙ୍କୁ ରହିବା ପାଇଁ ଆଶ୍ରୟ ଓ ଖାଦ୍ୟ ମିଳିପାରିବ। ମୋଲଡୋଭାରେ ପଞ୍ଜୀକୃତ ଏହି ଜାହାଜ ‘ସିଙ୍ଗଲ୍‌’କୁ ୨୦୧୪ ମସିହାରେ ସ୍ଲୋଭେନିଆରୁ ଆୟର୍ଲାଣ୍ଡର ଡ୍ରୋଗେଡାକୁ ସିଗାରେଟ୍‌ ଚୋରା ଚାଲାଣ କରୁଥିବା ବେଳେ ଧରାଯାଇଥିଲା। ଜାହାଜରେ ୩ କୋଟି ୨୦ ଲକ୍ଷ ସିଗାରେଟ୍‌ ଲୋଡ୍‌ ହୋଇଥିଲା।ଆଇନଗତ ପ୍ରକ୍ରିୟା ପରେ ଆୟର୍ଲାଣ୍ଡର ଟିକସ ଅଧିକାରୀମାନେ ଏହି ଜାହାଜକୁ ନିଜ ଅଧୀନକୁ ନେଇଥିଲେ। ପ୍ରଥମେ ଜାହାଜଟିକୁ ବିକ୍ରି କରିବାକୁ ଯୋଜନା ହୋଇଥିଲା, କିନ୍ତୁ କୌଣସି କ୍ରେତା ମିଳିନଥିଲେ। ଏହାକୁ ଭାଙ୍ଗି ସ୍କ୍ରାପ୍‌ ଭାବେ ବିକ୍ରି କରିବା ମଧ୍ୟ ଲାଭଜନକ ନଥିଲା। ଶେଷରେ ଅଧିକାରୀମାନେ ଏହାକୁ ସମୁଦ୍ରରେ ବୁଡ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରାୟ ୯ ବର୍ଷ ସମୟ ଲାଗିଥିଲା। 

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Dablin #MVShingle

Comments