କୁମ୍ଭୀର ମାଂସ ଖାଇ ଅଡୁଆ ରେ ସରକାରୀ କର୍ମଚାରୀ !

ଉଜ୍ଜୟିନୀ ନଗର ନିଗମର ଜଣେ ଭବନ ଅଧିକାରୀ ଥାଇଲାଣ୍ଡରେ ନିଜ ପତ୍ନୀଙ୍କ ସହ କୁମ୍ଭୀର ମାଂସ ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାବେ ଭାଇରାଲ ହେଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାରୀଙ୍କ ଅଡ଼ୁଆ ବଢ଼ିଯାଇଛି ।

ଏହାର ସବୁଠାରୁ ବଡ଼ କାରଣ ହେଉଛି, ଏହି ବିଦେଶ ଯାତ୍ରା ପାଇଁ ସେ ବିଭାଗରୁ କୌଣସି ସରକାରୀ ଅନୁମତି ନେଇନଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇ ଏବେ ନଗର ନିଗମ ପ୍ରଶାସନ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି ।

ଭାଇରାଲ ହୋଇଥିବା ଏହି ଭିଡିଓଟି ଉଜ୍ଜୟିନୀ ନଗର ନିଗମର ଜୋନ୍ ନମ୍ବର ୧, ୨ ଓ ୩ର ଭବନ ଅଧିକାରୀ ରାଜକୁମାର ରାଠୋର ଙ୍କର ବୋଲି କୁହାଯାଉଛି । ଭିଡିଓ ରେ ରାଠୋର ନିଜ ପତ୍ନୀଙ୍କ ସହ ଏକ ରେସ୍ତୋରାଁ କିମ୍ବା ଖାଦ୍ୟ ଷ୍ଟଲ୍‌ରେ ବସିଥିବା ଦେଖାଯାଉଛି। ଏହି ଭିଡିଓରେ ଇଂରାଜୀରେ ଏକ କ୍ୟାପସନ୍ ମଧ୍ୟ ଲେଖାଯାଇଛି—‘ଥାଇଲାଣ୍ଡରେ ପ୍ରଥମ ଥର ପାଇଁ କୁମ୍ଭୀର ମାଂସ ଚାଖୁଛୁ’ (Trying crocodile for the first time in Thailand)।

ଏହି ବିବାଦକୁ ନେଇ ନଗର ନିଗମ ଆୟୁକ୍ତ ଅଭିଳାଷ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ଭବନ ଅଧିକାରୀ ରାଜକୁମାର ରାଠୋର ଅକ୍ଟୋବର ୧୯ରୁ ୨୩ ତାରିଖ ମଧ୍ୟରେ ଚାରି ଦିନ ପାଇଁ ଛୁଟି ନେଇଥିଲେ। କିନ୍ତୁ, ଛୁଟି ଆବେଦନରେ ସେ ଏହି ସମୟ ମଧ୍ୟରେ ବିଦେଶ ଯାତ୍ରା କରିବାକୁ ଯାଉଥିବା କଥା ଆଦୌ ଉଲ୍ଲେଖ କରିନଥିଲେ।

ସରକାରୀ ନିୟମ ଅନୁଯାୟୀ, କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଦେଶ ବାହାରକୁ ଯିବା ପୂର୍ବରୁ ନିଜର କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ବା ଏନ୍‌ଓସି ନେବା ଅନିବାର୍ଯ୍ୟ। ରାଠୋର ଏହି ଗୁରୁତ୍ୱପୂର୍ଣ୍ଣ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

ବିନା ଅନୁମତିରେ ଥାଇଲାଣ୍ଡ ଯାତ୍ରା କରିବାର ଘଟଣା ସାମ୍ନାକୁ ଆସିବା ପରେ ଏବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି। ନଗର ନିଗମର ଅତିରିକ୍ତ ଆୟୁକ୍ତ ସନ୍ତୋଷ ଟାଗୋର ମଧ୍ୟ ଏହି ମାମଲାରେ କଠୋର ପଦକ୍ଷେପ ନିଆଯିବାର ସଙ୍କେତ ଦେଇଛନ୍ତି।

ବିଭାଗୀୟ ସୂତ୍ର ଅନୁଯାୟୀ, ଏଭଳି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ତାଗିଦ୍ କରାଯାଇପାରେ। ଏହା ବ୍ୟତୀତ ତାଙ୍କର ବେତନ ବୃଦ୍ଧି (ଇନ୍‌କ୍ରିମେଣ୍ଟ) ବନ୍ଦ କରିବା କିମ୍ବା ଭବିଷ୍ୟତରେ ପଦୋନ୍ନତି (ପ୍ରମୋସନ୍)ରେ ବାଧା ସୃଷ୍ଟି କରିବା ଭଳି କଠୋର ଦଣ୍ଡାତ୍ମକ ପଦକ୍ଷେପ ମଧ୍ୟ ନିଆଯାଇପାରେ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Ujjain #UjjainNagarNigam #UjjainNews #MadhyaPradesh #MPNews #Thailand #ViralVideo

Comments