ବିଦ୍ୟୁତ୍ ଆଘାତରେ ବାପପୁଅ ମୃତ ! ହତ୍ୟା ନା ଦୁର୍ଘଟଣା ?

ଖୋରଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତର ହରିପୁର ଗାଁ ଜଙ୍ଗଲ ନିକଟ ଦୁଆରଶୁଣୀଙ୍କ ପୀଠ ନିକଟ ବିଲରେ ଜଙ୍ଗଲୀ ପ୍ରାଣୀଙ୍କ କବଳରୁ ଫସଲ ସୁରକ୍ଷା ପାଇଁ ଦିଆଯାଇଥିବା ତାରବାଡ଼ ସଂସ୍ପର୍ଶରେ ଆସି ବାପପୁଅଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ହରିପୁର ଗାଁ ନୂଆସାହିର ରବି ଗୁରୁ (୬୫) ଓ ତାଙ୍କ ବଡ଼ପୁଅ ପବିତ୍ର ଗୁରୁ (୨୮) । ସୂଚନାନୁଯାୟୀ, ଗୁରୁବାର ଲଗାଣ ବର୍ଷା ଯୋଗୁଁ ବିଲରେ ଧାନଫସଲ ପରିସ୍ଥିତି ଦେଖିବାକୁ ଯାଇଥିଲେ । ଉଭୟ ହରିପୁର ଗାଁ ଜଙ୍ଗଲ ସଂଲଗ୍ନ ବିଲ ହିଡ଼ ଦେଇ ନିଜ ବିଲକୁ ଯାଉଥିବାବେଳେ ବିଦ୍ୟୁତ୍ ତାରବାଡ଼ ସଂସ୍ପର୍ଶରେ ଆସିଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ଗାଁର କିଛି ଲୋକ ଫସଲ ଜଗିବାକୁ ଆସିଥିବାବେଳେ ବାପପୁଅଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଗାଁ ଲୋକଙ୍କ ସହିତ ନିକଟସ୍ଥ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଓ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତନାଘନା ଜାରି ରଖିଛି। ପ୍ରକାଶଥାଉକି, ଜଙ୍ଗଲୀ ପ୍ରାଣୀଙ୍କ ଦାଉରୁ ଫସଲ ରକ୍ଷା ନିମନ୍ତେ ସୌର ତାରବାଡ଼ ଲଗାଯାଉଛି । ତେବେ ସେଠାରେ ସୌର ତାରବାଡ଼ ବଦଳରେ କେହି ଚୋରାରେ ବିଦ୍ୟୁତ୍ ସଂଯୋଗ ଦେଇଥିବା ଅନୁମାନ କରାଯାଉଛି। ଏହା ସଂସ୍ପର୍ଶରେ ଆସି ବାପ ପୁଅ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ମିଳିତ ତଦନ୍ତ କରାଯାଉ ବୋଲି ଦାବି ହୋଇଛି। ବାପାପୁଅ ଙ୍କ ମୃତ୍ୟୁରେ ପରିବାର ର ମେରୁଦଣ୍ଡ ଭାଙ୍ଗିଯାଇଛି । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ରିପୋର୍ଟ :- ପିଙ୍କୁନ ଜେନା 
ଜନତା ଜାଗରଣ 

#Khordha #Haripur

Comments