କାର୍ଗିଲ ଯୁଧ୍ୟ ରେ ନାନା ପାଟେକର ଙ୍କ ଭୂମିକା !

ନାନା ପାଟେକର ୧୯୯୯ ମସିହାରେ ଭାରତୀୟ ସେନା ସହ ଦୃଢ଼ ଭାବେ ଠିଆ ହୋଇଥିଲେ ଏବଂ ଦେଶ ସେବା ପାଇଁ ନିଜ ଫିଲ୍ମ କ୍ୟାରିୟରକୁ ମଧ୍ୟ କିଛି ସମୟ ପାଇଁ ପଛକୁ ରଖିଥିଲେ। ସେନା ପ୍ରତି ତାଙ୍କର ଆକର୍ଷଣ ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ଏକ ଫିଲ୍ମର ଭୂମିକା ପାଇଁ ସେ ଭାରତୀୟ ସେନା ମଧ୍ୟରେ ରହି ତିନି ବର୍ଷ ଧରି କଠୋର ପ୍ରଶିକ୍ଷଣ ନେଇଥିଲେ।

୧୯୯୧ ମସିହାରେ ନାନା ପାଟେକରଙ୍କ ଅଭିନୀତ ଫିଲ୍ମ ‘ପ୍ରହାର: ଦ ଫାଇନାଲ ଆଟାକ୍’ (Prahaar: The Final Attack) ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ସେ ମେଜର ଚୌହାନ ଙ୍କ ଭୂମିକା ରେ ଅଭିନୟ କରିଥିଲେ । ହୁଏତ ଅନେକଙ୍କୁ ଜଣା ନଥିବ ଯେ, ଏହି ଭୂମିକା କୁ ବାସ୍ତବ ରୂପ ଦେବା ପାଇଁ ସେ ୧୯୮୦ ଦଶକର ଶେଷ ଭାଗରେ ଟେରିଟୋରିଆଲ ଆର୍ମି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ନାନା ପାଟେକର ମରାଠା ଲାଇଟ୍ ଇନଫାଣ୍ଟ୍ରି ସହ ତିନି ବର୍ଷ ଧରି ପ୍ରଶିକ୍ଷଣ ନେଇଥିଲେ।

ଏହି ପ୍ରଶିକ୍ଷଣ ସମୟରେ ଭାରତୀୟ ସେନା ସହ ତାଙ୍କର ଗଭୀର ସମ୍ପର୍କ ଗଢ଼ି ଉଠିଥିଲା । ପରେ ଭାରତ-ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ଆରମ୍ଭ ହେବା ପରେ ଅଭିନେତା ଜଣକ କୌଣସି ଦ୍ୱିଧା ନକରି ଦେଶ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିରତି ନେଇ ନିଜ ବରିଷ୍ଠ ଅଧିକାରୀ ମାନଙ୍କ ନିକଟରେ ସେନା ରେ ସେବା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଏହା ସେତେଟା ସହଜ ନଥିଲା ।

ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମତି ଆବଶ୍ୟକ ଥିଲା । ଏହାପରେ ନାନା ପାଟେକର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ନାଣ୍ଡିସଙ୍କ ନିକଟରେ ଭାରତୀୟ ସେନା ସହ ମୋର୍ଚ୍ଚାକୁ ଯିବା ପାଇଁ ଅନୁମତି ମାଗିଥିଲେ । ସେ ମନ୍ତ୍ରୀଙ୍କୁ ନିଜର ଶୁଟିଂ କୌଶଳ ଏବଂ ଜିତିଥିବା ପଦକ ସମ୍ପର୍କରେ ମଧ୍ୟ ଜଣାଇଥିଲେ। ଅନୁମତି ମିଳିବା ପରେ କ୍ୟାରିୟର ର ଶୀର୍ଷ ସମୟରେ ସେ ବଲିଉଡରୁ ବିରତି ନେଇଥିଲେ।

ପ୍ରାୟ ୬୦ ଦିନ ପର୍ଯ୍ୟନ୍ତ ସେନାର କ୍ୱିକ୍ ରିଆକ୍ସନ୍ ଟିମ୍ (QRT) ରେ ସାମିଲ ହୋଇ ଶ୍ରୀନଗର, ଦ୍ରାସ ଏବଂ ଲେହରେ ଦେଶ ସେବା କରିଥିଲେ । କାରଗିଲ ଯୁଦ୍ଧ ସମୟରେ ନାନା ପାଟେକରଙ୍କ ଓଜନ ପ୍ରାୟ ୨୦ କିଲୋଗ୍ରାମ କମିଯାଇଥିଲା। ସେ ଅନେକଥର କହିଥିଲେ ଯେ, ଭାରତୀୟ ସେନାରେ ଯୋଗଦେବା ସମୟରେ ତାଙ୍କ ଓଜନ ୭୬ କିଲୋଗ୍ରାମ ଥିଲା ଏବଂ ଫେରିବା ସମୟରେ ତାହା ୫୬ କିଲୋଗ୍ରାମ ହୋଇଯାଇଥିଲା।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#NanaPatekar #KargilWar #KargilHero #IndianArmy

Comments