ମଧ୍ୟପ୍ରଦେଶ: ପୁଲିସକୁ ଚକମା ଦେଇ ଶତ୍ରୁ କରୁଆ ଗୁର୍ଜରକୁ ଚ୍ୟାଲେଞ୍ଜ ଦେଲା ୬୦ ହଜାର ଟଙ୍କାର ପୁରସ୍କାର ଘୋଷିତ ଡକାୟତ କଲ୍ଲୀ ଗୁର୍ଜର !

ମଧ୍ୟପ୍ରଦେଶ : ପୁଲିସକୁ ଚକମା ଦେଇ ଶତ୍ରୁ କରୁଆ ଗୁର୍ଜର କୁ ଚ୍ୟାଲେଞ୍ଜ ଦେଲା ୬୦ ହଜାର ଟଙ୍କାର ପୁରସ୍କାର ଘୋଷିତ ଡକାୟତ କଲ୍ଲୀ ଗୁର୍ଜର !

ମଧ୍ୟପ୍ରଦେଶ ର ମୋରେନା ଜିଲ୍ଲାର କୁଖ୍ୟାତ ଡକାୟତ କଲ୍ଲୀ ଗୁର୍ଜର ସୋସିଆଲ ମିଡିଆରେ ସକ୍ରିୟ ରହି ନିଜ ଶତ୍ରୁ କରୁଆ ଗୁର୍ଜର କୁ ଲଗାତାର ଚ୍ୟାଲେଞ୍ଜ ଦେଉଛି । ହେଲେ ଏହା ସତ୍ତ୍ୱେ ପୁଲିସ ତାକୁ ଧରିବା ରେ ସଫଳ ହୋଇପାରୁନାହିଁ । ୬୦ ହଜାର ଟଙ୍କାର ପୁରସ୍କାର ଘୋଷିତ ଏହି ଡକାୟତ କୁ ଧରିବା ପାଇଁ ତିନୋଟି ଜିଲ୍ଲାର ୨୦୦ ଜଣ ପୁଲିସ କର୍ମଚାରୀ ନିୟୋଜିତ ଥିବାବେଳେ ସେ ବୁଧବାର ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଛି ।

ଗୁରୁବାର ସାମ୍ନାକୁ ଆସିଥିବା ଏହି ଭିଡିଓ ରେ କଲ୍ଲୀ ଗୁର୍ଜର ନିଜ ଶତ୍ରୁ କରୁଆ ଗୁର୍ଜର କୁ ଚ୍ୟାଲେଞ୍ଜ ଦେଇଛି । ଭିଡିଓ ରେ ସେ ମୋରେନା ର ମହେଶ୍ୱରା ମନ୍ଦିର ସମ୍ମୁଖରେ ଠିଆ ହୋଇ କହୁଛି, “ମୁଁ ମନ୍ଦିର କୁ ଆସିଯାଇଛି । ସାହସ ଅଛି ଯଦି ଆସି ମୋତେ ଭେଟ।”

ସାମ୍ନାକୁ ଆସିଥିବା ଭିଡିଓରେ କଲ୍ଲୀ ଗୁର୍ଜର ଫୋନ୍ ଯୋଗେ ନିଜ ବିରୋଧୀ କରୁଆ ଗୁର୍ଜରକୁ ଆହ୍ୱାନ ଦେଉଥିବା ଦେଖାଯାଇଛି । ଦୁଇ ଦିନ ପୂର୍ବରୁ କରୁଆ ଗୁର୍ଜର ମଧ୍ୟ ଏକ ଭିଡିଓ ଜାରି କରି କଲ୍ଲୀ ଗୁର୍ଜରକୁ ମହେଶ୍ୱରା ମନ୍ଦିରରେ ଭେଟିବାକୁ ଚ୍ୟାଲେଞ୍ଜ ଦେଇଥିଲା । ଏହାପରେ ବୁଧବାର କଲ୍ଲୀ ଗୁର୍ଜର ମନ୍ଦିରରେ ପହଞ୍ଚି ଭିଡିଓ ରେକର୍ଡ କରି କରୁଆ ଗୁର୍ଜରକୁ ପଠାଇଥିବା କୁହାଯାଉଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କଲ୍ଲୀ ଗୁର୍ଜର କୁ ଧରିବା ପାଇଁ ମୋରେନା, ଗ୍ୱାଲିୟର ଏବଂ ରାଜସ୍ଥାନର ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ୨୦୦ ଜଣ ପୁଲିସ କର୍ମଚାରୀ ତଲାସୀ ଅଭିଯାନ ଚଳାଇଛନ୍ତି । ଅନ୍ୟପଟେ ଡକାୟତ ଜଣକ ଖୋଲାଖୋଲି ଭାବେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ପୁଲିସକୁ ଚ୍ୟାଲେଞ୍ଜ ଦେଉଛି ।

ସୂଚନା ଅନୁଯାୟୀ, କଲ୍ଲୀ ଗୁର୍ଜର ଲଗାତାର ରାଜସ୍ଥାନ ରୁ ଚମ୍ବଲ ନଦୀ ପାର ହୋଇ ମୋରେନା ଓ ଗ୍ୱାଲିୟର ଜିଲ୍ଲା ସୀମା ମଧ୍ୟରେ ଯାତାୟାତ କରୁଛି । ତେବେ ଏହି ଖବରକୁ ଏଯାଏଁ ଆଧିକାରିକ ଭାବେ ସ୍ପଷ୍ଟ କରାଯାଇନାହିଁ ।

ଏପଟେ ପୁଲିସ କହିଛି ଯେ, ସାମ୍ନାକୁ ଆସିଥିବା ଭିଡିଓର ଯାଞ୍ଚ କରାଯାଉଛି ଏବଂ ଡକାୟତର ଅବସ୍ଥିତି ଠାବ କରିବାକୁ ଉଦ୍ୟମ ଜାରି ରହିଛି । ଖୁବଶୀଘ୍ର କଲ୍ଲୀ ଗୁର୍ଜରକୁ ଗିରଫ କରାଯିବ ବୋଲି ପୁଲିସ ଆଶା ପ୍ରକାଶ କରିଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#kaligujjar #Karuagujjar #MP

Comments