Skip to main content
ରାଉରକେଲା ରେ ଯୁବତୀ ଙ୍କୁ ଜୀବନ୍ତ ପୋଡି ହତ୍ୟା ଉଦ୍ୟମ ! #Rourkela
ରାଉରକେଲା : ଏକ ହୃଦୟବିଦାରକ ଘଟଣାରେ ଜଣେ ଯୁବକ ରାଉରକେଲା ଠାରୁ ପ୍ରାୟ ୨୫ କି.ମି. ଦୂର ସନ୍ତୋଷପୁର ଗ୍ରାମ ପଞ୍ଚାୟତ ଅଧୀନ ଜାରାଟୋଲି ଗ୍ରାମରେ ନିଜ ଘରେ ଶୋଇଥିବା ୨୭ ବର୍ଷୀୟା ଜଣେ ଯୁବତୀ ଙ୍କୁ ନିଆଁ ଲଗାଇ ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି । ପୀଡ଼ିତା ୬୦ ପ୍ରତିଶତରୁ ଅଧିକ ପୋଡ଼ା ଆଘାତ ସହ ରାଉରକେଲାର ଜେପି ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଘଟଣାର କିଛି ଘଣ୍ଟା ପରେ ଶନିବାର ସନ୍ଧ୍ୟାରେ ପୁଲିସ ଅଭିଯୁକ୍ତ ରାଜତ କିରୋ ନାମକ ଜଣେ ଆଦିବାସୀ ଯୁବକ ଙ୍କୁ ନିକଟସ୍ଥ ଲାଠିକଟା ବ୍ଲକର ସୋନା ପର୍ବତ ଅଞ୍ଚଳ ରୁ ଗିରଫ କରିଥିଲା । ସେ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରକେଲା ଥାନା ଅଞ୍ଚଳର ବାସିନ୍ଦା । ପୁଲିସ କହିଛି ଯେ, ସେ ଗତ କିଛି ମାସ ଧରି ପୀଡ଼ିତାଙ୍କ ପିଛା କରୁଥିଲେ । ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି ଯେ, ଯେଉଁ କୋଠରୀରେ ଯୁବତୀ ଶୋଇଥିଲେ ସେହି କୋଠରୀର ଝରକା ଖୋଲା ଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ଝରକା ବାଟେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ସମ୍ପୂର୍ଣ୍ଣ ଘରଟି ପୋଡ଼ି ଯାଇଥିଲା । ଏହି ଅଞ୍ଚଳ ବିସ୍ରା ଥାନା ଅଧୀନରେ ରହିଛି । ପୀଡ଼ିତାଙ୍କ ବାପା କହିଛନ୍ତି, ରାତି ପ୍ରାୟ ୧୧ଟାରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ଏହି ଘଟଣା ଘଟିଥିଲା । ସେତେବେଳେ ତାଙ୍କ ଝିଅ ଘର ଭିତରେ ଶୋଇଥିବା ବେଳେ ସେ ଓ ତାଙ୍କ ସ୍ତ୍ରୀ ବାରଣ୍ଡାରେ ଶୋଇଥିଲେ । ଝିଅର ଚିତ୍କାର ଶୁଣି ସେମାନେ ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଚିକିତ୍ସା ପାଇବାରେ ମଧ୍ୟ ପରିବାରକୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ପୀଡ଼ିତାଙ୍କ ବାପା କହିଛନ୍ତି, ପ୍ରଥମେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍)କୁ ନିଆଯାଇଥିଲା । ସେଠାରୁ ତାଙ୍କୁ ପ୍ରାୟ ୨୦୦ କିଲୋମିଟର ଦୂର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (ଭିମସାର) କୁ ରେଫର୍ କରାଯାଇଥିଲା । ଆରଜିଏଚ୍ ରେ ଟ୍ରମା ଓ ବର୍ଣ୍ଣ ୟୁନିଟ୍ ଥିଲେ ମଧ୍ୟ ଗୁରୁତର ପୋଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ କ୍ରିଟିକାଲ କେୟାର ସୁବିଧା ନଥିବାରୁ ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Rourkela #WomenBurnt
Comments
Post a Comment