ଘଷିପୁରା ବ୍ଲକ ଅନ୍ତର୍ଗତ ବେଲବାହାଳି ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗୁଞ୍ଜନ ହୋଟେଲ ସମ୍ମୁଖରେ ଏକ ଅପ୍ରତ୍ୟାଶିତ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ୧୬ ଚକିଆ ସିମେଣ୍ଟ ବୋଝାଇ ଟ୍ରକ କଟକରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଗୁଞ୍ଜନ ହୋଟେଲ ପାଖରେ ଗାଡିଟିକୁ ରାସ୍ତା ପାର୍ଶ୍ୱରେ ଛିଡା କରି ଖାଇବା ପାଇଁ ହୋଟେଲକୁ ଯାଇଥିଲେ।ଏହି ସମୟରେ ହଠାତ୍ ଗାଡିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକମାନେ ଓ ରାସ୍ତାରେ ଯାଉଥିବା ଯାତ୍ରୀମାନେ ତୁରନ୍ତ ଏକତ୍ରିତ ହୋଇ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ପରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି।ଏହି ଅଗ୍ନିକାଣ୍ଡରେ ଗାଡିଟି ହୁତୁ ହୁତୁ ହୋଇ ଜଳି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୁଭାଗ୍ୟବଶତଃ କୌଣସି ମାନବୀୟ କ୍ଷତି ଘଟିନାହିଁ। ହଠାତ୍ ରାସ୍ତା ପାର୍ଶ୍ୱରେ ଗାଡିରେ ନିଆଁ ଲାଗିଥିବାରୁ ସେଠାରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଡିରେ ନିଆଁ କେମିତି ଲାଗିଲା ସେନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।

Comments
Post a Comment