Baradabilli Villagers of Dharakot Ganjam Still Struggling for Drinking Water

ରିପୋର୍ଟ - ଗଣେଶ ପାଣିଗ୍ରାହୀ 

ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସାହି ରେ ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ଟି ପରିବାର ର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେ ମଧ୍ୟ ପ୍ରଶାସନର ନଜର ପଡୁ ନଥିବା କହିଛନ୍ତି ଗ୍ରାମବାସୀ | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷିକୁଲ୍ୟା ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିନ୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷା ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଳି ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ | ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ “ ହର ଘର ନଳ ” ଭଳି ଯୋଜନା ଅଛି । କିନ୍ତୁ ଉକ୍ତ ଯୋଜନା ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି | ନିକଟରେ ଥିବା ଟାଟା କଲୋନୀ ପାଇଁ ସହର କୁ ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି | ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଛି | ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଅତିଷ୍ଠ ହୋଇ ଚରମ ବାଣୀ ଶୁଣାଇଛନ୍ତି | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ଯୋଗାଇ ନ ଦେବେ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଗ୍ରାମବାସୀ ।

Comments